ଖୋଲିଲା ଧବଳେଶ୍ବର,୧୧ରୁ ଦର୍ଶନ

0 44

ଆଠଗଡ଼ : ଦୀର୍ଘ ୯ମାସରୁ ଅଧିକ ସମୟ ପରେ ‌ଖୋଲୁଛି ଗୋଟିକ ପରେ ଗୋଟିଏ ମନ୍ଦିର, ମଠ। ଆଜି ଠାରୁ କଟକର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ବର ମନ୍ଦିର ଖୋଲୁଥିଲେ ବି ସର୍ବସାଧାରଣଙ୍କ ଦର୍ଶନ ପାଇଁ ଆସନ୍ତା ୧୧ତାରିଖରୁ ଅନୁମତି ମିଳିବ। ୮ ତାରିଖରେ ‌ପୂଜକଙ୍କ ପରିବାର, ୯ ତାରିଖରେ ମଞ୍ଚେଶ୍ବର, ପାଇକରାପୁର, ଲିଙ୍ଗାପଦା, ପ୍ରସନ୍ନପୁର, ନୂଆଡ଼ିହ ଓ ବିଦ୍ୟାଧରପୁର ଗ୍ରାମବାସୀ, ୧୦ ତାରିଖରେ ବ୍ରହ୍ମଣବସ୍ତ, ସୋନିଆମୁହଁ ଗ୍ରାମବାସୀ ଓ ୧୧ ତାରିଖରୁ ସର୍ବସାଧାରଣଙ୍କ ଦର୍ଶନ ପାଇଁ ଅନୁମତି ରହିଛି। ସକାଳ ୬ଟାରୁ ସଂଧ୍ୟା ୭ ପର‌୍ୟ୍ୟନ୍ତ ମନ୍ଦିର ଖୋଲାଯିବ ବୋଲି ଜଣାଯାଇଛି।

ଗତ ବୁଧବାର ଆଠଗଡ ଉପ-ଜିଲ୍ଲାପାଳ ଅଜାମ୍ବର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅତିରିକ୍ତ ତହସିଲଦାର ସୁଧାଂଶୁ ଶେଖର ସାହୁ, ଭାରପ୍ରାପ୍ତ ସୂଚନା-ଲୋକସଂପର୍କ ଅଧିକାରୀ ଶାରଦା ପ୍ରସାଦ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ଜିଲ୍ଲା ପ୍ରଶାସନ ଦ୍ବାରା ଜାରି କରାଯାଇଥିବା ନିୟମାବଳୀକୁ ମାନି ଶ୍ରଦ୍ଧାଳୁମାନେ ଦର୍ଶନ କରିବେ। ଏକା ସାଙ୍ଗରେ ୫୦ ଜଣଙ୍କୁ ଛୋଟ ଛୋଟ ଭାଗରେ ବିଭକ୍ତ କରାଯାଇ ପ୍ରବେଶ କରାଇବା, ବିନା ମାସ୍କ୍‌ରେ ପ୍ରବେଶ ନିଷେଧ, ୬ ଫୁଟର ସାମାଜିକ ଦୂରତାକୁ ବାଧ୍ୟତାମୂଳକ କରାଯିବା ସହ ମନ୍ଦିର ମଧ୍ୟରେ ଭୋଜି ଉତ୍ସବ ଓ ଜନସମାଗମକୁ ବାରଣ କରାଯାଇଛି। ତହସିଲଦାର, ବିଡିଓ ଓ ପୁଲିସ ନିଜ ନିଜ ଅଞ୍ଚଳରେ ଥିବା ଧର୍ମାନୁଷ୍ଠାନକୁ ବାରମ୍ବାର ପରିଦର୍ଶନ କରି ତଦାରଖ କରିବାକୁ ନିର୍ଦ୍ଦେଶ ରହିଛି।

Leave A Reply

Your email address will not be published.